Unknown

 

 

 

 

 

 

 

ଖଣ୍ଡିଏ ପତ୍ର

ସ୍ୱଭାବକବି ଗଂଗାଧର ମେହେର

 

ମାନନୀୟ ସମ୍ପାଦକ ମହାଶୟ,

 

ଆପଣ ଦୁଷ୍ଟଦଳନ ଓ ସନ୍ଥପାଳନ ନିମନ୍ତେନୃସିଂହ ନାଥଙ୍କୁ ପ୍ରାର୍ଥନା କରି ବଡ଼ ବିଷମ କାଣ୍ଡ ଘଟାଇ ଅଛନ୍ତି । ପ୍ରଥମ ବିପଦ ମୋ ଉପରେ । ଏଠାରୁ ପାଟଣା ଯିବା ମାର୍ଗରେ ଶେଷରାତ୍ର ୪ ଘଣ୍ଟା ସମୟରେ ଅଳ୍ପ ଜଙ୍ଗଲ ଜାଗାରେ ଗୋଟିଏ ବାଘ ଆସି ମୋର ଗାଡ଼ି ଆଗରେ ଠିଆ ହୋଇଗଲା । ତାହା ଦେଖି ଗାଡ଼ିବାନ୍ ବାଃ ବାଃ ବାଃ ବାଃ ବୋଲି ଚିତ୍କାର କଲା । ମୁଁ ମଧ୍ୟ ନୃସିଂହ ନୃସିଂହ ନୃସିଂହ ନୃସିଂହ ଉଚ୍ଚାରଣ କଲି । ତହିଁରୁ ବାଘ ଆଖି କଟମଟାଇ ଘୋର ଗର୍ଜନ କରିବାରୁ ମୁଁ ଗାଡ଼ି ଭିତରେ ମୂର୍ଚ୍ଛିତ ହୋଇ ପଡ଼ିଲି ଏବଂ ଦେଖିଲି ଯେ ବାଘ ମୋତେ ଗାଡ଼ିର ବଳଦଟିଏ ମାଗୁଅଛି । ମୁଁ କରଯୋଡ଼ି ପ୍ରାର୍ଥନା କଲି ‘‘ମୋତେ ରକ୍ଷା କର, ମୋର ବଳଦକୁ ନିଅନା ।’’ ବାଘ କହିଲା- ତୋର ବଳଦ, ତୋର ବଳଦ, ତୋର ବଳଦ ? ମୁଁ କହିଲି – ଆଜ୍ଞା ହଁ ।

 

ବାଘ – ତୋର ଘର ଗାଈର ଛୁଆ ନା କିଣିଅଛୁ ?

 

ମୁଁ ଅବାକ୍ ହୋଇ ରହିଲି । ପୁନଶ୍ଚ ବାଘ ଗର୍ଜ୍ଜନଟିଏ କରି କହିଲା – ସତ କହ, ସତ କହ ।

 

ମୁଁ କହିଲି – ଆଜ୍ଞା ପାଇଅଛି ।

 

ବାଘ – କେଉଁଠୁ ପାଇଲୁ ? ଆକାଶରୁ ଆସିଲା ନା ମେଘରୁ ବର୍ଷିଲା ?

 

ମୁଁ – ଆଜ୍ଞା, ଜଣେ ଦେଇଅଛି ।

 

ବାଘ – କାହିଁକି ଦେଇଅଛି ? ଭୟରେ ନା ଭକ୍ତିରେ ?

 

ବାଘର କାରଉଆଇରେ ମୋର ଚାଲାଖି ଉଡ଼ିଗଲା । ମୁଁ ବାଧ୍ୟ ହୋଇ କହିଲି – ଚମଡ଼ା ବାବଦ ଅନେକଗୁଡ଼ିଏ ଟଙ୍କା ଜଣେ ଆତ୍ମସାତ୍ କରିଥିଲା, ସେ କଥା ରାଜାଙ୍କ ଗୋଚରକୁ ନ ଯିବାରେ ସାହାଯ୍ୟ କରିଥିବାରୁ ମୋତେ ଏହି ବଳଦ ହଳକୁ ଦେଇଅଛି ।

 

ବାଘ – ତେବେ, ତୋର ନୁହେ; ମୋର ଖାଦ୍ୟ ମୋତେ ଦେ ।

 

ମୁଁ – ଆଜ୍ଞା, ପାପ ହେବ ।

 

ବାଘ – ତୁମ୍ଭର ଅଖାଦ୍ୟ ଗୋରୁ ତୁମ୍ଭେ ଖାଉଅଛ, ତହିଁରେ ପାପ ହେଉନାହିଁ; ମୋର ତାହା ଖାଦ୍ୟ; ମୁଁ ଖାଇଲେ କିପରି ପାପ ହେବ ?

 

ମୁଁ – ଆମ୍ଭେମାନେ କେବେ ଖାଇଲୁଁ ?

 

ବାଘ – ତୁମ୍ଭେ ଏକ ଦିନରେ ଗୋଟା ଗୋଟା ଗୋରୁ ଗିଳିଦିଅ ନାହିଁ କିମ୍ବା ଗୋଟିଏ ଗୋରୁ ମାରି ଅନେକ ଲୋକ ମିଳି ଭୋଜି କରି ଖାଅ ନାହିଁ ସତ; କିନ୍ତୁ ଗୋଟିଏ ଗୋଟିଏ ଗୋରୁକୁ ଗୋଟିଏ ଗୋଟିଏ ପରିବାର ଖଣ୍ଡ ଖଣ୍ଡକରି କାଟି କାଟି ଅନେକ ଦିନରେ ଖାଅ ।

 

ମୁଁ -ନା ଆଜ୍ଞା; ନା ଆଜ୍ଞା କହି ହାତ ଯୋଡ଼ିଲି ।

 

ବାଘ – ହଇରେ ବେକୁବ୍ ଶୁଣ । ପ୍ରଥମରେ ଗୋରୁର ଖାଦ୍ୟ ଥିବା ଜମି ଚଷି ତହିଁର ଧାନ ଖାଅ । ତହିଁରେ ଖାଦ୍ୟ ବିନା ଗୋରୁର ମାଂସ ଊଣା ହୁଏ । ତା'ପରେ ଦୁର୍ବଳ ବଳଦକୁ ପିଟି ପିଟି କାମ କରାଅ, ତାହାର ପରିଶ୍ରମ ଫଳ ତୁମ୍ଭେ ଖାଅ; ତହିଁରେ ତାର ମାଂସ ଊଣା ହୁଏ । ତା’ପରେ ଦୁର୍ବଳ ହୋଇଗଲେ ଗଣ୍ଡା ଚମାର ବା କଂସାଇଠାରେ ବିକ୍ରିକରି ଟଙ୍କା ଆଣି ଖାଅ ଅଥବା ଗୋରୁ ମରିଗଲେ ତାର ଚମଡ଼ା ବିକି ଟଙ୍କା ଆଣି ଖାଅ ।

 

ମୁଁ – ଆଜ୍ଞା, ଆମ୍ଭେ ଟଙ୍କା ସିନା ଖାଉଁ; ଗୋରୁକୁ ତ ଖାଉନାହୁଁ ।

 

ବାଘ – ଫେର୍; ଫେର୍ ବୁଝିଲୁ ନାହିଁ ଉଲ୍ଲୁ ! ତୋର ବାପ ମଲାବେଳେ ବ୍ରାହ୍ମଣକୁ ଯେଉଁ ଗୋଦାନ ଦେଲୁ, ଯେଉଁ ଗୋରୁର ଲାଞ୍ଜ ଧରି ତୋର ବାପ ତପ୍ତବୈତରଣୀ ପାର ହେବ–ବ୍ରାହ୍ମଣକୁ ଗୋରୁ ଦେଲୁ କି ଟଙ୍କା ଦେଲୁ ? ସତ କହ, ସତ କହ ?

 

ମୁଁ – ଆଜ୍ଞା, ଗୋରୁ-କିଣା ନ ମିଳିବାରୁ ତିନୋଟି ଟଙ୍କା ଦେଇଥିଲି । ତାହା ଗାଈର ଉପକଳ୍ପିତ ମୂଲ୍ୟ ।

 

ବାଘ – ଆଚ୍ଛା, ତହିଁରେ ଗାଈଲାଞ୍ଜ ଧରି ତୋର ବାପ ତପ୍ତବୈତରଣୀ ପାରହେବତ ?

 

ମୁଁ – ଆଜ୍ଞା ହଁ ।

 

ବାଘ – ଠିକ୍, ଯଦି ଗାଈର ଉପକଳ୍ପିତ ମୂଲ୍ୟ ଦେଲେ ଗାଈ ହେଲା, ତେବେ ଗାଈର ଅପକଳ୍ପିତ ମୂଲ୍ୟ ଖାଇଲେ ଗାଈ ଖାଇଲ କି ନାହିଁ ?

 

ମୁଁ ନିରୁତ୍ତର ହୋଇ ଦଣ୍ଡା ହୋଇ ପଡ଼ି ‘‘କ୍ଷମା କର, କ୍ଷମା କର’’ ବୋଇଲି ।

 

ବାଘ – କ୍ଷମା କଲି; ଗୋଟିଏ କଥା କରିବୁ ? ସତ୍ୟ କର ।

 

ମୁଁ – ସତ୍ୟ ସତ୍ୟ ସତ୍ୟ । ଅଷ୍ଟ ଉତ୍ତର ଶହେ ସତ୍ୟ । ହଜାରେ ବାର ସତ୍ୟ ।

 

ବାଘ – ମୁଁ ବୁଢ଼ା ବାଘ, ମୋର ବୁଢ଼ୀ ବାଘୁଣୀକୁ ନଟବର ସିଂହ ବାବୁ ବନ୍ଧୁକରେ ମାରି ନେଇଗଲେ । ତା’ ପଛେ ଛୁଆମାନଙ୍କୁ ମଧ୍ୟ ଧରି ନେଇ ଅଛନ୍ତି । ସେମାନେ କେବେ ମନୁଷ୍ୟ କିମ୍ବା ଗୋରୁ ଖାଇ ନଥିଲେ; କିନ୍ତୁ ଖାଇଥାନ୍ତେ । ଗୋରୁ ଆମ୍ଭମାନଙ୍କୁ ଭଲ ଲାଗେ । ତୁମ୍ଭମାନଙ୍କ ପରି ଗୋରୁଖିଆ ମନୁଷ୍ୟକୁ ଖାଇଲେ ଆହୁରି ଭଲ ଲାଗେ । ନଟବର ବାବୁ କ’ଣ ଗାଈମାନଙ୍କ ଉପକାର ନିମନ୍ତେ ସଭା କରୁଅଛନ୍ତି; ସେଥିରେ ସେ ସେର୍‌କେଟେରୀ ନା ସେର୍କେଟୀ କଣ ହୋଇ ଅଛନ୍ତି । ସେ ପ୍ରଥମେ ତୁମ୍ଭମାନଙ୍କ ପରି । ଗାଈଖିଆମାନଙ୍କୁ ଆଗ ମାରନ୍ତୁ; ଆମ୍ଭମାନଙ୍କୁ ପଛେ ମାରିବେ । ମୋର ମୂର୍ଚ୍ଛା ଭାଙ୍ଗିଲା; ଦେଖିଲି ବାଘ ନାହିଁ । ସକାଳ ପାଇଅଛି, ଗାଡ଼ି ଚାଲୁଛି । ଗାଡ଼ିବାନ୍‌କୁ ପଚାରିଲି, ସେ ବାଘ ଦେଖି ନ ଥିବାର କହିଲା । ମୁଁ ପାଟଣା ନ ଯାଇ ସେହିଠାରୁ ଗାଡ଼ି ଲେଉଟାଇ ନୃସିଂହନାଥରେ ଉପସ୍ଥିତ ହେଇଅଛି ।

 

ପରିବ୍ରାଜକ

ଶ୍ରୀ ନୟନ ସିଂହ